no comments

ବ୍ରହ୍ମଜ୍ଞାନ ପ୍ରାପ୍ତିର ଯୋଗ୍ୟତା- ସାଇଙ୍କ ମହିମା, ବାବାଙ୍କ ଭକ୍ତମାନେ ଥରେ ନିଶ୍ଚିତ ପଢନ୍ତୁ

ଶିରିଡ଼ିର ସାଇବାବା ଜଣେ ପ୍ରଖ୍ୟାତ ସନ୍ଥ ଥିଲେ। ବିଭିନ୍ନ ଆଡ଼ୁ ଲୋକେ ତାଙ୍କ ଖ୍ୟାତି ଶୁଣି ଦର୍ଶନ ତଥା ପରାମର୍ଶ ଗ୍ରହଣ ନିମନ୍ତେ ଆସୁଥାନ୍ତି। ଜଣେ ଧାର୍ମିକ ଅଥଚ ମହାକୃପଣ ବ୍ୟକ୍ତିଙ୍କ କାନରେ ବାବାଙ୍କ ଖ୍ୟାତି କଥା ବାଜିଲା। ନିଜର ସ୍ଥିତିକୁ ନେଇ ତାଙ୍କଠାରେ ଅହଂକାର ଥିଲା। ଧନଧାନ୍ୟ, ଗୋପଲକ୍ଷ୍ମୀ ସବୁକିଛିର ଅଧିକାରୀ ଧନୀବ୍ୟକ୍ତି ବ୍ରହ୍ମଜ୍ଞାନ ଲାଭ ଆଶାରେ ଏକ ଟାଙ୍ଗାରେ ଶିରିଡ଼ି ଅଭିମୁଖେ ଯାତ୍ରା କରିଥିଲେ। ମସ୍‌ଜିଦ୍‌ରେ ଅବସ୍ଥାନ କରୁଥିବା ବାବାଙ୍କୁ ପ୍ରଣାମ କରି ନିଜ ଅଭିଳାଷ ପୋଷଣ କରି ବହୁଦୂରରୁ ଆସିଥିବାରୁ ତାଙ୍କୁୁ ଶୀଘ୍ର ବିଦା କରିଦେବା ପାଇଁ କହିଥିଲେ।

ବାବା ଏହାଶୁଣି ବହୁତ ଖୁସି ହୋଇ କହିଥିଲେ- ‘କିଛି ସମୟ ଅପେକ୍ଷା କର। ମୁଁ ତୁମକୁ ବ୍ରହ୍ମଜ୍ଞାନ ଦାନ କରିବି। ମୋ ପାଖକୁ ଯେଉଁମାନେ ଆସିଥାନ୍ତି ସେମାନେ ପ୍ରାୟତଃ ପାର୍ଥିବ ସମ୍ପଦ, ଧନସମ୍ପତ୍ତି, ଯଶଖ୍ୟାତି, ପଦ ସ୍ବାସ୍ଥ୍ୟ, ସମ୍ମାନ ଆଦି ଆଶାରେ ଆସିଥାନ୍ତି। କେହି ହେଲେ ପରମାତ୍ମାଙ୍କ ସମ୍ବନ୍ଧୀୟ ଆଧ୍ୟାତ୍ମିକ ସଂପଦ (ବ୍ରହ୍ମଜ୍ଞାନ) ଲାଭ ଆଶାରେ ଆସି ନଥାନ୍ତି। ଯେହେତୁ ତୁମେ ପ୍ରଥମ କରି ଆସିଛ ତେଣୁ ତୁମ ଇଚ୍ଛା ଅବଶ୍ୟ ପୂରଣ କରାଯିବ।’

ଏହା କହିସାରିବା ପରେ ବାବା ଜଣେ ପିଲାକୁ ଡାକି ଜନୈକ ଶେଠଙ୍କଠାରୁ ୫ଟଙ୍କା ଧାର ଆଣିବା ପାଇଁ ପଠାଇଥିଲେ। ବାବା ଭଲ ଭାବରେ ଜାଣିଥିଲେ ଯେ ଶେଠ ଘରେ ନାହାନ୍ତି। ପିଲାଟି ଫେରିଆସି ସେହି ଧନିକ ବ୍ୟକ୍ତି ଘରେ ନଥିବା କହିଥିଲା। ଆଉଜଣକ ପାଖରୁ ଆଣିବାପାଇଁ ପଠାଇଥିଲେ ବି ଏଥର ମଧ୍ୟ ପିଲାଟି ଫେରି ଆସିଥିଲା ରିକ୍ତ ହସ୍ତରେ। ଏହି ସମୟରେ ଧନିକ ବ୍ୟକ୍ତିଜଣକ ବ୍ରହ୍ମଜ୍ଞାନ ପ୍ରାପ୍ତି ନିମନ୍ତେ ତରବର ହୋଇଥିଲେ।

Loading...

ବାବା ତାଙ୍କ ଉଦ୍ଦେଶ୍ୟରେ କହିଥିଲେ- ତୁମେ ଜାଣିପାରିଲ ନାହିଁ ଏହି ଜ୍ଞାନଲାଭ ନିମନ୍ତେ ତୁମେ ଉପଯୁକ୍ତ କି ନୁହେଁ, ସେ ନିମନ୍ତେ ମୁଁ କେଉଁ ପ୍ରକ୍ରିୟା ଅନୁସରଣ କଲି। ପ୍ରକୃତ କଥା ହେଉଛି ବାବା କାହାଠାରୁ ଧାର-ଉଧାର କରନ୍ତି ନାହିଁ, କଲେ ଏହା ଶୁଝିି ଦେଇଥାନ୍ତି। ଧନିକ ବ୍ୟକ୍ତି ଉଦାର ହୋଇଥିଲେ ମାତ୍ର ୫ଟି ଟଙ୍କା ପାଇଁ ଜଣେ ପିଲା ବାବାଙ୍କ ନି​‌ର୍ଦେଶରେ ଏଣେତେଣେ ଧାର ଆଣିବାକୁ ଯାଇ ନିରାଶ ହୋଇ ଫେରିବାରେ ନିଜେ ସ୍ବତଃସ୍ଫୂର୍ତ୍ତ ଭାବରେ ଦେଇପାରିଥାନ୍ତେ।

ଆଗନ୍ତୁକଙ୍କ ଉଦ୍ଦେଶ୍ୟରେ କହିଥିଲେ- ତୁମ ପାଖରେ ୫ଟଙ୍କାର ୫୦ଗୁଣ (୨୫୦ଟଙ୍କା) ବ୍ରହ୍ମ ଅଛି। ତାକୁ ବାହାର କରନ୍ତୁ। ଭଦ୍ରବ୍ୟକ୍ତି ଟଙ୍କା ବାହାର କରି ଗଣନ୍ତି ତ ପ୍ରକୃତରେ ସେତିକି ପରିମାଣରେ ଅର୍ଥ ଥିଲା। ଏଥିରୁ ସେ ବାବାଙ୍କର ସର୍ବଜ୍ଞାତା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କର ଏତାଦୃଶ ଲୋଭୀ ପ୍ରକୃତି ଦେଖି ବାବା କହିଥିଲେ ଧନସମ୍ପତ୍ତି, ସନ୍ତାନସନ୍ତତି, ଯଶଖ୍ୟାତି, ସମୃଦ୍ଧି ପ୍ରତି ଅାସକ୍ତି ତ୍ୟାଗ ନକଲେ ଜ୍ଞାନ ପ୍ରାପ୍ତି ଅସମ୍ଭବ। ଆସକ୍ତି ଓ ଅର୍ଥଲାଳସା ଭିତରେ ରହିଛି ଅହଂକାର ଓ ଦାମ୍ଭିକତାରୂପୀ ଶତ୍ରୁ।

ଚିତ୍ତଶୁଦ୍ଧି ନଥିଲେ ଆଧ୍ୟାତ୍ମିକ ପ୍ରାପ୍ତି, ସାଧନା ବିଫଳ। କିଛି ଦେବା ପୂର୍ବରୁ ଅନ୍ତତଃ ପାତ୍ରର ଯୋଗ୍ୟତା ମୁଁ ଦେଖିଥାଏ। ଏହି କ୍ରମରେ ସେ ଚିତ୍ତଶୁଦ୍ଧି, ମୁମୁକ୍ଷା (ମୁକ୍ତିପାଇବାର ଇଚ୍ଛା), ନିର୍ଲିପ୍ତତା(ସାଂସାରିକ ବିଷୟବସ୍ତୁ ପ୍ରତି ଅନାସକ୍ତି), ମନ ଓ ଇନ୍ଦ୍ରିୟ ନିୟନ୍ତ୍ରଣ, ଉପଯୁକ୍ତ ଆଚରଣ ଆଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ କହିଥିଲେ ଯାହା ଏହି ଜ୍ଞାନଲାଭର ସୋପାନ ଥିଲା। ଧନିକ ତଥା କୃପଣ ଜଣକ ବାବାଙ୍କ ଉପଦେଶର ମର୍ମ ବୁଝିପାରି ତାଙ୍କର ଆଶୀର୍ବାଦ ଗ୍ରହଣ କରି ଫେରିଯାଇଥିଲେ।

error: Content is protected !!